୫ଟି ରାଜ୍ୟରେ ନିର୍ବାଚନ ନଭେମ୍ବର ୭ରୁ ୩୦ ମଧ୍ୟରେ : ଡିସେମ୍ବର ୩ରେ ଭୋଟ୍ ଗଣନା ଓ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନ ୧୨ଟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର ମିଜୋରାମ୍, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୭ରୁ ନିର୍ବାଚନ ଆରମ୍ଭ ହୋଇ ୩୦ ମଧ୍ୟରେ ଶେଷ ହେବ ଓ ଡିସେମ୍ବର ୩ରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୭ ଓ ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୧୭ ତାରିଖରେ।
ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୩ ତାରିଖ ଦିନ ନିର୍ବାଚନ କରାଯିବ। ମଧ୍ୟପ୍ରଦେଶରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୧୭ ତାରିଖରେ ନିର୍ବାଚନ ହେବ। ତେଲେଙ୍ଗାନାରେ ବି ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୩୦ ତାରିଖରେ ନିର୍ବାଚନ କରାଯିବ। ମିଜୋରାମ୍ରେ ନଭେମ୍ବର ୭ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିସନର୍ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ରାଜୀବ କୁମାର କହିଲେ, ୪୦ ଦିନରେ ନିର୍ବାଚନ କମିସନ୍ ୫ଟିଯାକ ରାଜ୍ୟ ଗସ୍ତ କରିଥିଲା। ଆମେ ସାଧାରଣ ଜନତା ଓ ରାଜନେତାଙ୍କୁ ଭେଟି ମତାମତ ଲୋଡ଼ିଥିଲୁ। ୫ଟି ରାଜ୍ୟର ୬୭୯ଟି ବିଧାନସଭା ଆସନରେ ନିର୍ବାଚନ କରାଯିବ। ଏହି ୫ଟି ରାଜ୍ୟରେ ‘ଫାଷ୍ଟ୍-ଟାଇମ୍ ଭୋଟର୍’ଙ୍କ ସଂଖ୍ୟା ୬୦ ଲକ୍ଷ।