୭ ଦିନ ପ୍ରବଳ ବର୍ଷିବ
ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର :ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ପଛକୁ ପଛ ୩ ଲଘୁଚାପ ଚିନ୍ତା ବଢ଼ାଇଛି। ଆସନ୍ତା ୭ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଦଶହରା ଫିକା ପଡ଼ିବ ବୋଲି କୁହାଯାଉଛି। ଇତିମଧ୍ୟରେ ସୋମବାର ସକାଳୁ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ସକ୍ରିୟ ହେବା ସହ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟାରେ ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ପୁରୀ ଗୋପରେ ସର୍ବାଧିକ ୮୫ ମି.ମି ବର୍ଷା ରେକର୍ଡ କରାଯାଇଛି। ତେବେ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ୨୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ୨୭ ତାରିଖ ବେଳକୁ ଅବପାତ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ। ତେବେ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ବିଶେଷକରି ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାକୁ ମଙ୍ଗଳବାର ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବାବେଳେ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଅନୁଗୋଳ, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଓ ବାକି ସମସ୍ତ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ପରାମର୍ଶ ଦିଆଯିବା ସହ ୨୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କାରାଯାଇଛି। ଅକ୍ଟୋବର ୧ରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
