ସଂକଟରେ ଚୁମ୍ବନ ଶିଳା

ଭିଏତନାମର କ୍ବାଙ୍ଗ ନିହ୍ନ ପ୍ରଦେଶ ସ୍ଥିତ ସୁଦୃଶ୍ୟ ହା ଲଙ୍ଗ ଉପସାଗରରେ ଚୁମ୍ବନ ମୁଦ୍ରାରେ ଛିଡ଼ା ହୋଇଛନ୍ତି ପ୍ରସିଦ୍ଧ ‘ଚୁମ୍ବନ ଶିଳା’। ପରିବେଶ ପରିବର୍ତ୍ତନ ଓ ଭୌଗୋଳିକ ଅସ୍ଥିରତା ଯୋଗୁଁ ଏହି ପ୍ରସ୍ତର ଯୁଗଳ ଭୁଶୁଡ଼ିପଡ଼ିବାର ଆଶଙ୍କା ଦେଖାଦେଇଛି। ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବା ସହ ଅତ୍ୟଧିକ ମାଛଧରା ଡଙ୍ଗାର ଚଳପ୍ରଚଳ ଯୋଗୁଁ ଏପରି ବିପଦ ଆସନ୍ନ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ସହ ଏହି ପ୍ରାକୃତିକ ଆଶ୍ଚର୍ଯ୍ୟର ସଂରକ୍ଷଣ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ସତର୍କ କରାଇ ଦେଇଛନ୍ତି।
ଏହି ବିରଳ ‘ପ୍ରସ୍ତର ଯୋଡ଼ି’ ଭୁଶୁଡ଼ିବାର ଆଶଙ୍କା କେବଳ ପରିବେଶ ପାଇଁ ବିପଜ୍ଜନକ ନୁହେଁ, ତାହା ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳର ମାନ୍ୟତା ଲାଭ କରିଥିବା ହା ଲଙ୍ଗ ଉପସାଗରକୁ ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥା’ନ୍ତି। ସେମାନଙ୍କର ମୁଖ୍ୟ ଆକର୍ଷଣ ହେଉଛି ଏହି ‘ଚୁମ୍ବନ ଶିଳା’। ତାହାର ଅକାଳ ପରିସମାପ୍ତି କେବଳ ଉପସାଗରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବ ନାହିଁ, ବରଂ ଏଥି ସହିତ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ ଯାହା ପର୍ଯ୍ୟଟକମାନଙ୍କ ଉପରେ ଅଧିକ ନିର୍ଭରଶୀଳ।
ଭିଏତନାମର ଲୋକକଥାରେ ପ୍ରେମ ଓ ଭକ୍ତି ସହ ଏହି ପଥର ଜଡ଼ିତ। ଏକ ଯୁବ ଦମ୍ପତିଙ୍କ ପ୍ରଣୟ ଚିର ଦିନ ପାଇଁ ଏକ ଚୁମ୍ବନରେ ବନ୍ଦ ହୋଇଯାଇଥିବାର ଦୃଶ୍ୟ କିଂବଦନ୍ତି ପଥରରେ ପରିଣତ ହେବା ଘଟଣାକୁ ସ୍ଥାନୀୟ ବାସିନ୍ଦା ଓ ବହିରାଗତ ଦର୍ଶକମାନେ ସ୍ବୀକୃତି ଦେଇ ଆସୁଛନ୍ତି। ତେଣୁ ଏହି ‘ଚୁମ୍ବନ ଶିଳା’ ଅନ୍ତର୍ଦ୍ଧାନ ହୋଇଗଲେ ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟ ଧ୍ବଂସ ହୋଇଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।