ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ନାମ ‘ଶିବଶକ୍ତି’:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’ ଉକ୍ତ ସ୍ଥାନର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ସମଗ୍ର ଦୁନିଆ ଉକ୍ତ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି କହିଲେ ମୋଦି। ଏଥିସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଲେ ମୋଦି ।
‘ଶିବଶକ୍ତି’ ନାଁର ଯଥାର୍ତତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଶିବ ଶବ୍ଦରେ ମାନବତାର କଲ୍ୟାଣ ପାଇଁ ସଙ୍କଳ୍ପ ଭର୍ତ୍ତି ହୋଇ ରହିଛି। ଆଉ ଶକ୍ତି ନିକଟରୁ ଉକ୍ତ ସଙ୍କଳ୍ପ ପୂରା କରିବାକୁ ଆମକୁ ସାମର୍ଥ୍ୟ ମିଳିଥାଏ । ତେଣୁ ଆଜିଠୁ ଉକ୍ତ ସ୍ଥାନର ନାମକୁ ‘ଶିବଶକ୍ତି’ ନାଁରେ ନାମିତ କରିଛନ୍ତି ମୋଦି । ଅନନ୍ତ ଆକାଶରେ ବହୁ ସମ୍ଭାବନା ଭାରତର ଅପେକ୍ଷା କରୁଛି ବୋଲି ସେ କହିବା ସହ ମାନବତାର କଲ୍ୟାଣ ହିଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବି କହିଛନ୍ତି।
ନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଏବେ ହର ଘର ତ୍ରିରଙ୍ଗା ଓ ହର ମନ ତ୍ରିରଙ୍ଗା । ତେଣୁ ଚନ୍ଦ୍ରରେ ବି ଏବେ ଉଡ଼ୁଛି ତ୍ରିରଙ୍ଗା। ତେଣୁ ଚନ୍ଦ୍ରଯାନ-୨ ଯେଉଁଠି ନିଜ ପଦଚିହ୍ନ ଛାଡ଼ିଛି ଉକ୍ତ ସ୍ଥାନର ନାମ ଆଜିଠୁ ‘ତ୍ରିରଙ୍ଗା’ । କାରଣ ଏହା ସବୁବେଳେ ଆମକୁ ଚେତାଇ ଦେବ ଯେ, କୌଣସି ବିଫଳତା ଶେଷ ନୁହେଁ। ଦୃଢ ଇଚ୍ଛାଶକ୍ତି ଥିଲେ ବିଫଳତା ପରେ ବି ସଫଳତା ମିଳିବ । ବିଦେଶ ଗସ୍ତରୁ ଫେରି ଆଜି ସକାଳେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳୁ ବାଙ୍ଗାଲୁରୁର ହାଲ୍ ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଇସ୍ରୋ ସେଣ୍ଟରକୁ ଯାଇଥିଲେ ମୋଦି। ସେଠାରେ ବୈଜ୍ଞାନିକମାନଙ୍କୁ ଭେଟିବା ଅବସରରେ ମୋଦି ବେଶ୍ ଭାବୁକ ହୋଇ ଯାଇଥିଲେ। ଏହି ଅବସରରେ ସେ ପୂରା ଚନ୍ଦ୍ରଯାନ ମଡେଲକୁ ଦେଖିବା ସହ ସବିଶେଷ ଭାବେ ତଥ୍ୟ ଆହରଣ କରିଥିଲେ।
ଏହାପରେ ସେ ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଥିଲେ।