ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

ନବୀନ ଓଡିଶା ବ୍ଯୂର: ଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ପୁଣି ଥରେ ଲୋକସଭା ବାଚସ୍ପତି ହୋଇଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟର ବାଚସ୍ପତି ପ୍ରାର୍ଥୀ କେ. ସୁରେଶଙ୍କୁ ବାଚନିକ ଭୋଟରେ ହରାଇ ୧୮ତମ ଲୋକସଭାର ବାଚସ୍ପତି ହୋଇଛନ୍ତି ଓମ୍ ବିର୍ଲା।
ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ । ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ । ଯେଉଁଥିରେ ଓମ୍ ବିର୍ଲା ବିଜୟୀ ହୋଇଥିବା ନେଇ ଗୃହରେ ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ।
ଯାହା ଫଳରେ ଲଗାତାର ଦ୍ୱିତୀୟ ଥର ପାଇଁ ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ ଦେଶର ୭୫ ବର୍ଷର ଇତିହାସରେ ୪ର୍ଥ ଓ ୪୮ ବର୍ଷ ପରେ ପୁଣିଥରେ ବାଚସ୍ପତି ନିର୍ବାଚନ ହୋଇଛି। ଏହା ପୂର୍ବରୁ ୧୯୫୨ ମସିହା, ୧୯୬୭ ମସିହା, ୧୯୭୬ ମସିହାରେ ଲୋକସଭାରେ ବିରୋଧୀ ବାଚସ୍ପତି ପ୍ରାର୍ଥୀ ଦେବାରୁ ନିର୍ବାଚନ ଅନିବାର୍ଯ୍ୟ ହୋଇଥିଲା, ଏବେ ୨୦୨୪ରେ ପୁନର୍ବାର ଇତିହାସର ପୁନରାବୃତ୍ତି ହୋଇଛି।