ବିଜେଡିର ସହଯୋଗ ଲୋଡ଼ିଲା କଂଗ୍ରେସ

Sep 18, 2025 - 22:08
 4
ବିଜେଡିର ସହଯୋଗ ଲୋଡ଼ିଲା କଂଗ୍ରେସ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର:ଗୁରୁବାର ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସହଯୋଗ ଲୋଡ଼ିଛି । ଏହାରି ଭିତରେ କଂଗ୍ରେସର କିଛି ନେତା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିବା ଜଣାଯାଇଛି ।  କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ପ୍ରମୁଖ ନବୀନଙ୍କ ଚାମ୍ବରକୁ ଯାଇଛନ୍ତି । ଉଭୟ କଂଗ୍ରେସ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ବିଧାୟକ ପ୍ରତାପ ଦେବ ଓ ସାରଦା ଜେନାଙ୍କୁ ଭେଟିଛନ୍ତି । ତେବେ ଦୁଇ ଦଳ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଅନାସ୍ଥା ପ୍ରସ୍ତାବ ଆଣିବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ଆମେ ବିଜେଡିର ସହଯୋଗ ଲୋଡ଼ୁଛୁ । ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ ବୋଲି କହିଥିଲୁ । ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ବୋଲି ଶ୍ରୀ କାଡାମ କହିଛନ୍ତି । 

ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଅନାସ୍ଥା ପ୍ରସ୍ତାବ ରଖି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଦିଆଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ଚିଠି ଦେଇଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଲା ଉକ୍ତ ଚିଠିରେ ମୋଟ ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।  ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । 

ଅନ୍ୟପକ୍ଷରେ ବିଜୁ ଜନତା ଦଳର ସହଯୋଗ ସମ୍ପର୍କରେ ବିଜେଡି ପକ୍ଷରୁ ଏହାର ଜବାବ ଦିଆଯାଇଛି । କଂଗ୍ରେସ ଅନାସ୍ଥା ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନାହିଁ ବୋଲି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଏପରିକି ଆମେ ଆମ ପ୍ରସଙ୍ଗ ଉଠାଇବୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।