୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସିବିଆଇର ନୋଟିସ୍

Nov 22, 2025 - 22:18
 2
୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସିବିଆଇର ନୋଟିସ୍

ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର ; ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ସିବିଆଇ ତଦନ୍ତକୁ ବ୍ୟାପକ କରିଛି  । କେଳେଙ୍କାରୀର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସିବିଆଇ ଆକ୍ସନ ମୋଡ୍ରେ ରହିଛି  । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟର ୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସିବିଆଇ ଏହି ମାମଲାରେ ନୋଟିସ୍ ଜାରି କରିଛି  । ଏହି ମାମଲାରେ ଏହି ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସଂପୃକ୍ତି ପ୍ରମାଣ ପାଇବା ପରେ ସିବିଆଇ ନୋଟିସ୍ ଜାରି କରିଛି  । ଅପରପକ୍ଷରେ ବ୍ରହ୍ମପୁର କୋର୍ଟରେ ଥିବା ଏହି ସଂକ୍ରାନ୍ତ ମାମଲା ଗୁଡ଼ିକ ଭୁବନେଶ୍ୱର ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି  । ଏହା ସହ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ରୁ ଭୁବନେଶ୍ୱର ଜେଲ୍କୁ ସ୍ଥାନାନ୍ତର କରାଯିବ  । ଫଳରେ ଜେଲ୍ରେ ଥିବା ଅଭିଯୁକ୍ତମାନଙ୍କୁ ସିବିଆଇ ପଚରା ଉଚରା କରିବା ପାଇଁ ସହଜ ହୋଇପାରିବ  । ଇତିମଧ୍ୟରେ  ପୁଲିସ ଏସଆଇ ପରୀକ୍ଷା ସ୍କାମ୍ କେଳେଙ୍କାରୀର ତଦନ୍ତ କରୁଥିବା ସିବିଆଇର ଦକ୍ଷ, ଅଭିଜ୍ଞ ଓ ସଚ୍ଚୋଟ ଅଫିସରଙ୍କୁ ନେଇ ତଦନ୍ତ କରୁଥିବା ଟିମ୍ ବ୍ରହ୍ମପୁର ଜେଲ୍କୁ  ଯାଇ ଶଙ୍କର ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ପଚରା ଉଚରା କରି ଅନେକ ରୋଚକ ତଥ୍ୟ ହସ୍ତଗତ କରିଥିବା କୁହାଯାଉଛି  । ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତିଠାରୁ କାହିଁ କେତେ ଗୁଣରେ ଅଧିକ ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସିବିଆଇ ଟିମ୍ ଦିନରାତି ଏକାକାର କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି  । ଏହି ଦୁର୍ନୀତିରେ ସଂପୃକ୍ତ ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ସିବିଆଇ ସବୁ ପ୍ରକାର ପନ୍ଥା ଆପଣାଉଛି  । ଆନୁଷ୍ଠାନିକ ଭାବେ ସିବିଆଇ ପକ୍ଷରୁ କିଛି ଜଣାଯାଇନଥିଲେ ହେଁ ମିଳିଥିବା ସୂଚନା ଅନୁସାରେ ତଦନ୍ତକୁ ଆଗକୁ ବଢାଇ ସିବିଆଇ ଉଚ୍ଚ ଅଧିକାରୀଙ୍କ ଠାରୁ ତଦନ୍ତ ଆରମ୍ଭ କରିବାକୁ ଯାଉଛି  । ଏଥିପାଇଁ ରାଜ୍ୟରେ କାର୍ଯ୍ୟରତ ୩ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନୋଟିସ୍ ଦିଆଯାଇଛି  । ତେଣେ ମୁଖ୍ୟ ଅଭିଯୁକ୍ତ ଶଙ୍କରକୁ ସିବିଆଇ ରିମାଣ୍ଡରେ ଆଣି ତଥ୍ୟ ଉଗାଳିବ ବୋଲି ଜଣାପଡ଼ିଛି  ।

ପ୍ରକାଶ ଥାଉକି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେବା ସହ ସୁପାରିଶ କରିଥିଲେ  । ରାଜ୍ୟସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ରସରକାର ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ଦେଇଥିଲେ  । କେନ୍ଦ୍ରର ଅନୁମତି ପରେ ଭୁବନେଶ୍ୱର ସିବିଆଇ ୨୦୧୪ ମସିହାରେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଦକ୍ଷ, ସଚ୍ଚୋଟ ଓ ଅଭିଜ୍ଞ ଅଫିସରଙ୍କୁ ନେଇ ଟିମ୍ ଗଠନ କରିଥିଲା ଓ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିଲା  । ତଦନ୍ତ ପ୍ରକ୍ରି୍ରୟାକୁ ଅଧିକ ତ୍ୱରାନ୍ୱିତ କରି ସିବିଆଇ ପୁରା ଆକ୍ସନ ମୋଡ୍ରେ ଥିବାରୁ ଆଗକୁ ଏହି କେଳେଙ୍କାରୀକୁ ନେଇ ରାଜ୍ୟରେ ଝଡ ସୃଷ୍ଟି ହେବ ବୋଲି ମନେ କରାଯାଉଛି  ।