ଆସିଲା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ୍ , ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାରେ ଅନେକ ବିବାଦ ରହିଥିଲା । ମୁଖ୍ୟତ ଆପାର୍ଟମେଣ୍ଟରେ ରହୁଥିବା ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲ୍ଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ ସଂଘ ମଧ୍ୟରେ ବିବାଦ ହେଉଥିଲା । ଯାହାକୁ ନେଇ ହାଇକୋର୍ଟରେ ଅନେକ ମାମଲା ପହଁଚିଥିଲା । ଏନେଇ ରାଜ୍ୟ ସରକାର ନୂଆ ଆଇନ୍ ଆଣିବାକୁ ଗତ ମାର୍ଚ୍ଚ ମାସରେ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହିତ ବିଧାନସଭାରେ ଆଗତ କରିଥିଲେ । ମେ’ମାସରେ ପୁଣିଥରେ ଅଧ୍ୟାଦେଶ ଆକାରରେ ନୂଆ ନିୟମ ଲାଗୁ କରାଯିବା ସହିତ ଏବେ ବିଧାନସଭାରେ ବିଲ୍ କୁ ଆଗତ କରାଯାଇଛି । ଏହା ଆଇନ୍ରେ ପରିଣତ ହେଲେ ପିଛିଲା ଭାବେ ୨୦୨୩ ଜୁନ୍ ୨୮ ତାରିଖରୁ ଲାଗୁ ହେବ ବୋଲି ଏହି ବିଲ୍ରେ ଦର୍ଶାଯାଇଛି ।
୧- ଏହି ଆଇନ୍ ଅନୁଯାୟୀ ସଂଶୋଧିତ ଆପାର୍ଟମେଣ୍ଟ ମାଲିକାନା ବିଲ୍ରେ ସାମୂହିକ ବ୍ୟବହାର ପାଇଁ ଉଦ୍ଧିଷ୍ଟ ଜାଗାକୁ ଆବଣ୍ଟନଗ୍ରାହୀ ବା ଗୃହକ୍ରେତା ସଂଘ ନାମରେ ରେକର୍ଡ କରାଯିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହି ନିୟମ କଡାକଡି ନଥିଲା । ଯାହାଦ୍ୱାରା ‘ରେରା’ ଓ ୧୯୮୨ ଆପାର୍ଟମେଣ୍ଟ୍ ମାଲିକାନା ଆଇନ୍ ଭିତରେ ଏକ ଦ୍ୱନ୍ଦ ସୃଷ୍ଟି ହେଉଥିଲା ।
୨- ସେହିପରି ଏହି ବିଲ୍ରେ ୩୦ବର୍ଷରୁ ପୁରୁଣା ନିର୍ମିିତ ଆପାର୍ଟମେଣ୍ଟକୁ ବୀମା କରିବା ପୂର୍ବରୁ ବିଲ୍ଡିଂକୁ ଯାଞ୍ଚ କରାଯିବା ନେଇ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଆପାର୍ଟମେଣ୍ଟ୍ ମାଲିକ ନିଜର ହିତ ଦୃଷ୍ଟିରୁ ତାଙ୍କର ଆପାର୍ଟମେଣ୍ଟ୍ , ସମିତି କିମ୍ବା ମାଲିକମାନଙ୍କ ସଂଘ ଅଗ୍ନିକାଣ୍ଡ ଓ ଦୁର୍ବିପାକ ବୀମା କରାଇବେ । ଏହା ସହିତ ବିଲ୍ଡର୍ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଦେବାର ୩୦ଦିନ ଭିତରେ ଘୋଷଣାପତ୍ର ଦେବା ବାଞ୍ଛନୀୟ କରାଯାଇଛି । ଏହାର ଉଲ୍ଲଙ୍ଘନ କଲେ ପ୍ରମୋଟର କିମ୍ବା ବିଲଡରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।
୩- ସେହିପରି ଯଦି ଗୋଟିଏ ଆପାର୍ଟମେଣ୍ଟର ୭ଜଣ ଗୃହକ୍ରେତା ବୁକିଂ କରି ସାରିଥିଲେ ସଂଘ ଗଠନ କରିପାରିବେ । ସେହିପରି ଜଣେ ଲୋକ ଏକାଧିକ ଘର କ୍ରୟ କରିଥିଲେ ମଧ୍ୟ ଗୋଟିଏ ଭୋଟ୍ ହୋଲ୍ଡ ଉଭୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ।
୪- ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଆପାର୍ଟମେଣ୍ଟ୍ ଆଲର୍ଟୀମାନେ ସଂଘ ଗଠନ କରିବାର କ୍ଷମତା ପାଇବେ । ସଂଘ ଗଠନ ନ ହେବା ପର୍ଯ୍ୟନ୍ତ ଦଲିଲ୍ ହୋଇପାରିବ ନାହିଁ । ଏହା ସହିତ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ଯଦି କୌଣସି ସୁବିଧା ମିଳେ ତେବେ ବିଲ୍ଡରଙ୍କ ବଦଳରେ ଏହି ସୁବିଧା ସଂଘ ପାଇଁ ଉପଲବ୍ଧ ହେବ ବୋଲି ନିୟମ କରାଯାଇଛି ।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଜଣେ କିମ୍ବା ଅଧିକାରୀ ଯେଉଁମାନେ ଡେପୁଟି କଲେକ୍ଟର୍ ପାହ୍ୟାରୁ କମ୍ ହୋଇ ନଥିବେ ସେମାନଙ୍କୁ ଏହି ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ କାର୍ଯ୍ୟକାରୀ କରିବାପାଇଁ କ୍ଷମତା ଦିଆ ଯାଇଛି ।