ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପରିବାର ଅଦାଲତ ବିବାହ ବିଚ୍ଛେଦ ଆବେଦନ ଖାରଜ କରିଥିଲେ । ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ପ୍ରକାଶ ଯେ ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତରୁ ନିରାଶ ହେବା ପରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କଟକ ପରିବାର ଅଦାଲତରେ ଦୀର୍ଘଦିନ ଧରି ଚାଲିଥିଲା । ଗତ ସେପ୍ଟେମ୍ବର ୨୨ ତାରିଖରେ ଅଦାଲତ ଏହି ମାମଲାରେ ରାୟ ପ୍ରକାଶ କରି ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ। ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଥିବା କାରଣ ଗ୍ରହଣୀୟ ନୁହେଁ ବୋଲି ପରିବାର ଅଦାଲତ ମତଦେବା ସହ ପିଟିସନ୍ ଖାରଜ କରିଦେଇଥିଲେ ।
ଅପରପକ୍ଷରେ ଅନୁଭବଙ୍କ ସହ ପୁନର୍ବାର ଏକାଠି ରହିବା ଲାଗି ବର୍ଷା ଯେଉଁ ଆବେଦନ କରିଥିଲେ ତାହାକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଦେଇଥିଲେ । ପରିବାର ଅଦାଲତଙ୍କ ଏଭଳି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଫେବ୍ରୁଆରି ୮ରେ ଅନୁଭବ ବର୍ଷାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍ ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର୍ ପିଟିସନ୍କୁ ଅନୁମତି ଦେଇଥିଲେ। ସେହି ଅନୁଯାୟୀ ୨୦୨୧, ଏପ୍ରିଲ୍ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଉଭୟଙ୍କ ପକ୍ଷରୁ ରୁଜୁ ମାମଲାର ଏକତ୍ର ଶୁଣାଣି କଟକ ପରିବାର ଅଦାଲତରେ ହୋଇଥିଲା।