ହାଇକୋର୍ଟରେ ଶୁଣାଣି ଶେଷ : ରତ୍ନ ଭଣ୍ଡାର ସୁରକ୍ଷା ମାମଲା

କଟକ: ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସ୍ଥିତି ଭଲ ନାହିଁ। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରତ୍ନ ଭଣ୍ଡାର ଭିତର ଯାଞ୍ଚ କରାଯିବା ସହିତ ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯିବା ଉଚିତ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ରିପୋର୍ଟ ଏଭଳି କିଛି ତଥ୍ୟ ରଖୁଛି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ସଂପର୍କିତ ମାମଲାର ଶୁଣାଣି ସମୟରେ ଦର୍ଶାଇଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରତ୍ନଭଣ୍ଡାର ମରାମତି ଓ ଏହା ଭିତରେ ଥିବା ସୁନା, ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଙ୍ଗ ସଂପର୍କିତ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ବାରା ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ ଏଭଳି ଯୁକ୍ତି ରଖିଛନ୍ତି।
ରତ୍ନ ଭଣ୍ଡାର ଭିତର ସ୍ଥିତି ଅନୁଧ୍ୟାନ ପ୍ରସଙ୍ଗରେ ୨୦୧୮, ମାର୍ଚ୍ଚ ୨୨ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୧୮, ଏପ୍ରିଲ ୧୦ରେ ଏଏସ୍ଆଇ ପକ୍ଷରୁ ରତ୍ନ ଭଣ୍ଡାର ଭିତର ଅନୁଧ୍ୟାନ ପାଇଁ ଏକ ବୈଷୟିକ ବିଶେଷଜ୍ଞ କମିଟି ପ୍ରଫେସର ଜି.ସି.ମିତ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା। ୨୦୧୮, ମାର୍ଚ୍ଚ ୨୬ରେ ରତ୍ନ ଭଣ୍ଡାର ବାହାର ପଟୁ କମିଟି ଅନୁଧ୍ୟାନ କରିଥିଲା।