ଆମ ପରିବାର ଭିତରେ ରାଜନେତା ମାନେ ମୁଣ୍ଡ ପୁରାନ୍ତୁ ନାହିଁ: ଶ୍ରୀତମ

Oct 28, 2023 - 09:20
 4
ଆମ ପରିବାର ଭିତରେ ରାଜନେତା ମାନେ ମୁଣ୍ଡ ପୁରାନ୍ତୁ ନାହିଁ: ଶ୍ରୀତମ

ଭୁବନେଶ୍ୱର: ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ତେଜିଲାଣି ରାଜନୀତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିବା ସହ କହିଛନ୍ତି, ଯଦି ବାସନ୍ଦ ନ ଉଠିବ ତେବେ ଓଡ଼ିଶା ଭାଗ ଭାଗ ହୋଇଯିବ । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନରସିଂହଙ୍କ ଏଭଳି ବୟାନ ପରେ ମୁହଁ ଖୋଲିଛନ୍ତି ଅଭିନେତା ଶ୍ରୀତମ ଦାସ ।
ଶ୍ରୀତମ କହିଛନ୍ତି, ମନୋଜ ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି । ସେମାନେ ସମସ୍ତେ ଓଡିଶାର ସୁପୁତ୍ର ।  ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି ।  ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ ମିଳିମିଶି କାମ କରିବୁ ।  ଏହାକୁ ନେଇ ରାଜନୀତି ହେବା କଥା ନୁହେଁ । ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ, କାରଣ ଆମ ପରିବାର କଥା ଆମେ ଆପୋଷ ଭାବେ ସମାଧାନ କରିବୁ ।  ଆମେମାନେ ବସି ସମାଧାନ କରିବୁ ବୋଲି କହିଛନ୍ତି ଶ୍ରୀତମ ।