ଜାଗା ମିଶନରେ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯାଇଛି।
ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଥିବା ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାର ରହିଛନ୍ତି। ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନସିପାଲଟିର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟାବଣ୍ଟନ କରାଯାଉଥିବା ବେଳେ ଗତ ବର୍ଷ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟାବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଏହି କ୍ରମରେ ଗତ ନଭେମ୍ବର ୨୦୨୨ରେ ଡ୍ରୋନ୍ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ସୋମବାର ପ୍ରଥମ ପର୍ୟ୍ୟାୟ ପଟ୍ଟା ବଣ୍ଟନ କରାଯାଇଛି।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟର ୧୧୦ ଟି ପୌର ସଂସ୍ଥାରେ ସହରର ୧ ଲକ୍ଷ ୭୨ ହଜାର ପରିବାରକୁ ଜମି ଅଧିକାର ଦିଆଯାଇସାରିଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ଅଢ଼େଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସୋମବାର ଏହି ପଟ୍ଟାବଣ୍ଟନ ସହ ରାଜ୍ୟର ୫ ମହାନଗର ନିଗମ ସମେତ ୧୧୫ ଟି ସହରାଞ୍ଚଳର ୧୦୧୦ ଟି ବିଜୁ ଆଦର୍ଶ କଲୋନୀକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।