ଓଲିଉଡ଼ରେ କି ପାଲା ଚାଲିଛି ?
ollywood, odia cinema

ଓଲିଉଡ଼ ଏବେ ବାୟା ହେଇଯାଇଛି । ଅଭିନୟର ଦକ୍ଷତା, ଭଲ କାହାଣୀ, ସଂଳାପ, ସୁଟିଂ, ସ୍କ୍ରିନ ପ୍ଳେ ଆଦି ବୃଦ୍ଧି କରିବା ବଦଳରେ ଏବେ କାଦୁଅ ଫିଙ୍ଗା ଚାଲିଛି । ବିଶେଷକରି ଅଭିନେତା ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ମଧ୍ୟରେ କଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଉଥର ଗୋଟିଏ ଗୋଟିଏ ସିନେମା ଯେତିକି ରୋଜଗାର କରୁଛି ଆମ ସବୁ ସିନେମା ବି ସେତିକି ରୋଜଗାର କରିପାରିନାହିଁ । ଅବଶ୍ୟ ଏଥିପାଇଁ ଆମେ କେବଳ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଦାୟୀ କରିପାରିବାନି । ଆମ ଓଡ଼ିଆ ଲୋକମାନଙ୍କ ମାନସିକତାକୁ ବି ପରଖିବା ଦରକାର । ସାଉଥ ଭଳି ଆମ ଲୋକମାନେ ସିନେମା ପ୍ରିୟ ନୁହଁନ୍ତି । ଟଙ୍କା ଦେଇ ସିନେମା ଦେଖିବାରେ ସେମିତି ଆଗ୍ରହ ମଧ୍ୟ ନାହିଁ । ଓଡ଼ିଶାରେ ହିନ୍ଦୀ ସିନେମା ବି ଚାଲେନି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ଭଳି ସହରକୁ ଛାଡ଼ିଦେଲେ, ଅନ୍ୟ ସିନେମା ହଲରେ ଗହଳି ଚହଳି ବି ଲାଗେନି । ବଡ଼ ବଡ଼ ଷ୍ଟାରଙ୍କ ସିନେମାକୁ ଛାଡ଼ିଦେଲେ ସିନେପଲିସରେ ସିଟ ବି ଫୁଲ୍ ହୋଇନଥାଏ । ଯେଉଁଥିପାଇଁ ସେମାନେ ଟିକେଟ ଦାମ ୨୦୦ରୁ ହଜାରେ ଟଙ୍କା କରିବାକୁ ବାଧ୍ୟ ହୁଅନ୍ତି । କେତେକ ଯୁକ୍ତି ବାଢ଼ନ୍ତି, ଅଧିକ ସଂଖ୍ୟାରେ ସିନେମା ହଲ୍ ନାହିଁ । ସେଥିପାଇଁ ଓଡ଼ିଆ ସିନେମା ଚାଲୁନି । ଏହା କିଛିମାତ୍ରାରେ ଠିକ୍ ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ଠିକ ନୁହେଁ । ଅର୍ଥନୀତିରେ ଚାହିଦା ଅନୁସାରେ ଯୋଗାଣ ହୁଏ । ଯଦି ସିନେପ୍ରେମୀଙ୍କ ଆଗ୍ରହ ବଢ଼ିବ, ଲୋକେ ସିନେମା ଦେଖିବାକୁ ଚାହିଁବେ ତେବେ ନିଶ୍ଚିତ ଭାବେ ଜଣେ ସିନେମା ହଲରେ ନିବେଶ କରିବ । ଓଡ଼ିଶାର ଅନେକ ହଲ୍ ବ୍ୟବସାୟ ଅଭାବରୁ ବନ୍ଦ ହୋଇଯାଇଛି । ଭୁବନେଶ୍ୱରରେ ବି ରବି ଟକିଜ, କଳ୍ପନା, କଟକର ନିଶାମଣୀ ଭଳି ହଲ୍ ବି ବନ୍ଦ ହୋଇଯାଇଛି । ଭୁବନେଶ୍ୱରର ହଲମାଲିକମାନେ ଆଇନକ୍ସ ସାଙ୍ଗରେ ପ୍ରତିଯୋଗିତା କରିବାକୁ ନିଜର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି । ସହର ହୋଇଥିବାରୁ ଯୁବବର୍ଗ ହିଁ ସିନେମା ଦେଖିବାକୁ ଯାଉଛନ୍ତି । ଏବେବି ପରିବାରକୁ ନେଇ କ୍ୱଚିତ ଲୋକ ସିନେମା ଦେଖିବାକୁ ଯାଉଛନ୍ତି । କାହିଁକିନା ହଟ୍ ସିନ୍ ଥିବାରୁ ବାପା ନିଜ ପୁଅ ଝିଅ ସହ ସିନେମା ଦେଖିବାକୁ କୁନ୍ଥୁକୁନ୍ଥୁ ହେଉଛି । ବଙ୍ଗାଳୀମାନେ ପ୍ରତିବର୍ଷ ବୁଲିବା ପାଇଁ ଯେଭଳି ମାସିକ ବଜେଟ କରନ୍ତି ଠିକ ସେମିତି ସାଉଥରେ ସିନେମା ପାଇଁ ବି ପରିବାର ଲୋକ ବଜେଟ କରନ୍ତି । ଓଡ଼ିଶାରେ କିନ୍ତୁ ସେଭଳି ପରମ୍ପରା ନାହିଁ । ଦେଢ଼ ଶ’, ଦୁଇ ଶ’ ଦେଇ ସିନେମା ଦେଖିବା ଅପେକ୍ଷା ଚିକେନ ଭାତ ଖାଇବାକୁ ସେମାନେ ପସନ୍ଦ କରନ୍ତି । ଏବେ ଯୋଉ ଓଡ଼ିଆ ସିନେମା ଚାଲୁଛି ବୋଲି କୁହାଯାଉଛି, ତାହା କେବଳ ଲୋକ ଦେଖାଣିଆ । ଦିନକୁ ପାଞ୍ଚ ସାତଶହ ଲୋକ ସିନେମା ଦେଖୁଛନ୍ତି । ଅର୍ଥାତ ଟିକେଟ ଦାମ ଯଦି ୨୦୦ ଟଙ୍କା ହୁଏ ତେବେ ବେପାର ଲକ୍ଷେ ଦେଢ଼ ଲକ୍ଷ ଭିତରେ ସୀମିତ ରହିବ । ଗୋଟିଏ ସିନେମା ଯଦି ମାସେ ବି ଚାଲେ ତେବେ ଟୋଟାଲ ବ୍ୟବସାୟ ୫୦ ଲକ୍ଷ ଭିତରେ ହିଁ ରହୁଛି । ଥରେ ହିସାବ କରନ୍ତୁ, ଏହି ୫୦ ଲକ୍ଷରୁ ହଲ ମାଲିକର କେତେ ? ପ୍ରଯୋଜକର କେତେ ? ନିର୍ଦ୍ଦେଶକର କେତେ ? ଅଭିନେତାଙ୍କର କେତେ ? ଆମ ଅଭିନେତା ଅଭିନେତ୍ରୀମାନେ ଗୋଟିଏ ସିନେମା ପିଛା ଯେତିକି ପାଆନ୍ତି ସେତିକି ସେମାନଙ୍କର ଜିମ, ସେଲୁନ ଓ ଡ୍ରେସ ପାଇଁ ବି ଯଥେଷ୍ଟ ନୁହେଁ । ସିନେମା ଅପେକ୍ଷା ସେମାନେ ଷ୍ଟେଜ ସୋ’ରୁ ହିଁ ବେଶୀ ଆୟ କରୁଥିବା ଦେଖିବାକୁ ମିଳୁଛି । ଅର୍ଥ ଅଭାବରୁ ବଡ଼ ବଡ଼ ହିରୋମାନେ ବି ସାଉଥର ସାଇଡ଼ ଆକ୍ଟର ଭଳି ଚଳି ପାରୁନାହାନ୍ତି । ସିନେମା ଇଣ୍ଡଷ୍ଟ୍ରିର କେତେଟା ହିରୋଙ୍କର ୪୦/୫୦ ଲକ୍ଷ ଟଙ୍କିଆ କାର ଅଛି ? କୋଉ ହିରୋର ବଙ୍ଗଳା ଅଛି ? କୋଉ ହିରୋର ଘରେ ଅତ୍ୟାଧୁନିକ ଜିମ୍ ଓ ସେଲୁନ ଅଛି ? ଆମ ଜାଣିବାରେ କାହାର ବି ନାହିଁ । ଯେଉଁମାନଙ୍କର ଅଛି, ସେମାନେ ନିଜ ଖର୍ଚ୍ଚରେ ନୁହଁ, ବରଂ ପରିବାରର ପତିଆରାରୁ ଏହା ହାସଲ କରିଛନ୍ତି କହିଲେ ଭୁଲ ହେବ ନାହିଁ ? ଓଡ଼ିଆ ସିନେମାରେ କିଛି ନାହିଁ ବୋଲି ଯୋଉମାନେ କହୁଛନ୍ତି, ସେମାନେ ଆଗ ଭାବନ୍ତୁ, କାହିଁକି ନାହିଁ ? ଏଥିପାଇଁ କ’ଣ ଓଲିଉଡ଼ ସହ ଜଡ଼ିତ ବ୍ୟକ୍ତିମାନେ କେବଳ ଦାୟୀ କି ? ଏଥିପାଇଁ ଓଡ଼ିଆମାନେ ହିଁ ଦାୟୀ । ମାସକୁ ଯଦି ୫ ଲକ୍ଷ ଓଡ଼ିଆ ସିନେମା ଦେଖିବେ ତେବେ ଯାଇ ଏହି ଓଲିଉଡ଼ ଆଗକୁ ଯାଇପାରିବ । ଏ କଳାକାର, ଦର୍ଶକଙ୍କ ବାଦୀପାଲା ଚାଲିଲେ ଶେଷରେ ଓଲିଉଡ଼ର ସିଲଭର ସ୍କ୍ରିନରେ କଳଙ୍କି ଲାଗିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।