ଶନିବାର ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତାକାଲି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୩ ମେ’ ମାସରୁ ଆଦିବାସୀ ଓ ଅଣଆଦିବାସୀ ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ମଣିପୁରକୁ କାହିଁକି ପ୍ରଧାନମନ୍ତ୍ରୀ ମୋଦି ଯାଉ ନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇ ଚାଲିଥିଲେ। ପରିଶେଷରେ ଶନିବାର ମୋଦି ମଣିପୁରରେ ପାଦ ରଖିବେ। ମୋଦିଙ୍କ ମଣିପୁର ଗସ୍ତ କାର୍ଯ୍ୟକ୍ରମକୁ ନିଶ୍ଚିତ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ।
ବେଶ କିଛି ଦିନ ହେବ ମୋଦି ମଣିପୁର ଗସ୍ତ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପ୍ରଥମଥର ପାଇଁ ବିଧିବଦ୍ଧ ଭାବେ ମୋଦିଙ୍କ ଗସ୍ତ ସମ୍ପର୍କରେ ଘୋଷଣା କରାଯାଇଛି। ଶୁକ୍ରବାର ମଣିପୁର ମୁଖ୍ୟ ଶାସନ ସଚିବ ପୁନୀତ କୁମାର ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଦିନ ୧୨.୩୦ରେ ମିଜୋରାମର ଅଜିୱାଲରୁ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାକୁ ଆସିବେ।
ମେତୈ ଓ କୁକି ସଂପ୍ରଦାୟର ସଂଘର୍ଷ ଯୋଗୁ ବାସହରା ହୋଇ ଯାଇଥିବା ଲୋକଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି ୭.୩୦ କୋଟି ଟଙ୍କା ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ପିସ ଗ୍ରାଉଣ୍ଡରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରିବେ।
୨୦୨୩ରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସାରେ ପ୍ରାୟ ୨୬୦ ଜଣଙ୍କ ଜୀବନ ଯାଇଛି। ଅନେକ ଲୋକ ବାସହରା ହୋଇଥିବେ ବେଳେ ଚୁରାଚାନ୍ଦପୁର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ପ୍ରାୟ ଅଢ଼େଇ ବର୍ଷ ପରେ ମୋଦି ଚୁରାଚାନ୍ଦପୁର ଗସ୍ତ କରି ସେଠାକାର ଲୋକଙ୍କ ସହ କଥା ହେବେ।
ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ରାଜଧାନୀ ଇମ୍ଫାଲ ଯିବେ। ସେଠାରେ ପ୍ରାୟ ଦିନ ୨.୩୦ରେ ସେ ୧୨୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ପ୍ରକଳ୍ପର ଉଦଘାଟନ କରିବେ। ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବେ।
ଚୁରାଚାନ୍ଦପୁର କୁକି ବହୁଳ ଅଞ୍ଚଳ ହୋଇଥିବା ବେଳେ ଇମ୍ଫାଲରେ ରହୁଥିବା ଅଧିକାଂଶ ଲୋକ ମେତୈ ସଂପ୍ରଦାୟର। ତେଣୁ ମୋଦି ଉଭୟ ସ୍ଥାନକୁ ଗସ୍ତ କରି ଦୁଇ ସଂପ୍ରାଦୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମୁଡରେ ରହିଛନ୍ତି।
ଗୋଏଲ କହିଛନ୍ତି, “ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶାନ୍ତି, ସ୍ଥିରତା ଓ ରାଜ୍ୟ ଅଭିବୃଦ୍ଧି ପାଇଁ ପଥ ପରିଷ୍କାର କରିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଁ ମଣିପୁରର ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ସାମିଲ ହେବାକୁ ଓ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରୁଛି।”
