ଭକ୍ତଙ୍କଠାରୁ ନିଆଯାଉଛି ହାତଗୁଞ୍ଜା

ପୁରୀ: ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ତେବେ ରବିବାର ଛୁଟିଦିନ ଥିବା ବେଳେ ଏକାଦଶୀ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ବ୍ୟାରିକେଡ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ କେତେଜଣ ସେବାୟତ ଓ ପୋଲିସ କର୍ମଚାରୀ ନିଜ ସମ୍ପର୍କୀୟମାନଙ୍କୁ ବିନା ଧାଡ଼ିରେ ଶ୍ରୀମନ୍ଦିରରେ ପ୍ରବେଶ କରାଉଥିବା ଜଣାପଡ଼ିଥିଲା। ବିଶେଷକରି ଅନେକ ସେବାୟତ ଓ ପୋଲିସ କର୍ମଚାରୀ ହାତଗୁଞ୍ଜା ନେଇ ଭକ୍ତଙ୍କୁ ଗଳାବାଟରେ ନେଇ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିଲେ। ଅନେକ ଏହି ଦର୍ଶନ ବ୍ୟବସ୍ଥାକୁ ଭିଆଇପି ଦର୍ଶନ ବ୍ୟବସ୍ଥା କହୁଛନ୍ତି, ଯାହାକୁ ନେଇ ଅନ୍ୟ ଶ୍ରଦ୍ଧାଳୁ ଓ ପୁରୀ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ବିନା ଧାଡ଼ିରେ କିଭଳି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଅପରପକ୍ଷରେ ପ୍ରଶାସନ ଏପରି ଘଟଣା ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଶ୍ରୀମନ୍ଦିର ପୋଲିସ, ସ୍ବେଚ୍ଛାସେବୀ ଓ ପୋଲିସ କର୍ମଚାରୀମାନେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ଥିବାବେଳେ ଯେଉଁଭଳି ଭାବେ ହାତଗୁଞ୍ଜା ନିଆଯାଇ ଭକ୍ତଙ୍କୁ ଗଳାବାଟ ଦେଇ ଛଡ଼ାଯାଉଛି ତାହା ଚିନ୍ତାଜନକ। ଶ୍ରୀମନ୍ଦିର ପ୍ରଶାସନ ଏଭଳି ଗଳା ବାଟକୁ ବନ୍ଦ କରିବା ସହ ସେବାୟତମାନଙ୍କୁ ଏନେଇ ଚେତାବନୀ ଦେବା ଦରକାର ବୋଲି ଅନେକ ଭକ୍ତ ମତ ପ୍ରକାଶ କରିିଛନ୍ତି। ଗଳାବାଟ ଏବଂ ଭିଆଇପି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯିବା ସହ ଭକ୍ତଙ୍କ ଲାଗି ଚାରିଦ୍ୱାର ଖୋଲାଯିବାକୁ ପ୍ରଶାସନ ଅନୁମତି ଦେଉ ବୋଲି ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।