ସିକ୍କିମ ବନ୍ୟା ବିପର୍ଯ୍ୟୟ: ୨୭ ଛୁଇଁଲା ମୃତ୍ୟୁ ସଂଖ୍ୟା

Oct 7, 2023 - 05:56
Oct 7, 2023 - 05:58
 6
ସିକ୍କିମ ବନ୍ୟା  ବିପର୍ଯ୍ୟୟ: ୨୭ ଛୁଇଁଲା ମୃତ୍ୟୁ ସଂଖ୍ୟା

ସିକ୍କିମ: ଉତ୍ତର ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ସିକ୍କିମର ନାଚମି ଓ ପାକୟୋଙ୍ଗ ଜିଲ୍ଲାରୁ ମିଳିଥିବା ତାଜା ଖବର ମୁତାବକ, ନିଖୋଜ ବ୍ୟକ୍ତିଙ୍କ ତାଲିକା ଗୋଟିଏ ଦିନର ବୃଦ୍ଧିପାଇ ୧୪୨ରେ ପହଞ୍ଚିଛି । ଗୁରୁବାର ନିଖୋଜଙ୍କ ସଂଖ୍ୟା ୭୮ଥିବାବେଳେ ଏଥିରେ ବୃଦ୍ଧି ହୋଇଥିବ ଜଣାପଡିଛି ।

ସିକ୍କିମ ସରକାରଙ୍କ କହିବା ମୁତାବକ, ବାଦଲଫଟା ବର୍ଷା ହେବାରୁ ବିଶାଳ ହିମଖଣ୍ଡ ସବୁ ଖସିଆସି ହ୍ରଦରେ ମରିଥିବାରୁ ବନ୍ୟା ଜଳ ହଠାତ୍ ଅସମ୍ଭବ ଭାବେ ବଢିଯାଇ କୂଳ ଲଂଘନ କରିଥିଲା । ଏଥିରେ ଅନେକ ଘର ଦ୍ୱାର ଭାସିଯାଇଛି ।

ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ସିକ୍କିମ ସରକାର । ଏହାସହ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଶିବରରେ ରଖାଯାଇଛି । ଏହି ପ୍ରାକୃତିକ ବିପର୍ୟ୍ୟୟରେ ପାଖାପାଖି ୨୫୦୦ ଲୋକ ବାସହୀନ ହୋଇଛନ୍ତି ।