ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ‘ଶ୍ରୀସେତୁ’ ସମ୍ପର୍କର ସେତୁ

Jan 8, 2024 - 17:14
 3
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ‘ଶ୍ରୀସେତୁ’ ସମ୍ପର୍କର ସେତୁ

ନବୀନ ଓଡିଶା ବ୍ଯୂର:ପୁରୀ: ପୂର୍ଣ୍ଣରୂପ ନେବାକୁ ଯାଉଛି ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍‌ ବ୍ରିଜ୍‌’ ବା ‘ଶ୍ରୀସେତୁ’। ତୂରୀ ଆକୃତିର ଏହି ଶ୍ରୀସେତୁ ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କର ସେତୁ ହେବାକୁ ଯାଉଛି। ଜିଲ୍ଲାର ଏହି ସବୁଠୁ ବଡ଼ ଓଭର୍‌ବ୍ରିଜ୍‌ ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ବାଗତ ଅପେକ୍ଷାରେ। ପୁରୀ-ଭୁବନେଶ୍ବର ୩୦୬ ନମ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ଛକ ବାଇପାସ୍‌ ରାସ୍ତାରୁ ଦୁଇଟି ଓଭର୍‌ବ୍ରିଜ୍‌ ଦେଇ ଏହି ସେତୁ ବଡ଼ଦାଣ୍ଡ ସଂଲଗ୍ନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚୁଛି। ଏହି ସେତୁରେ ଭକ୍ତ ଓ ପର୍ଯ୍ୟଟକ ଆସି ସିଧାସଳଖ ନବନିର୍ମିତ ଶ୍ରୀଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ପହଞ୍ଚିବେ ଓ ସୁବିଧାରେ ବ୍ୟାଟେରି ଚାଳିତ ଗାଡ଼ିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ବିଶ୍ବ ମାନଚିତ୍ରରେ ପୁରୀକୁ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅହରହ ଉଦ୍ୟମ ଜାରି ରହିଛି। ପୁରୁଷୋତ୍ତମ କ୍ଷେତ୍ରକୁ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ତଥା ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ‘୫-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜରିଆରେ କାର୍ଯ୍ୟକାରୀ ହେଉଛି ଓ ସେ ବିଭିନ୍ନ ପ୍ରକଳ୍ପ କାମ ଆଗେଇ ନେଉଛନ୍ତି। ଏହି କ୍ରମରେ ପୁରୁଷୋତ୍ତମ କ୍ଷେତ୍ରର ପ୍ରବେଶ ପଥରେ ଉପୁଜୁଥିବା ଜଟିଳ ଟ୍ରାଫିକ୍ ସମସ୍ୟାର ସମାଧାନ ବାଟ ଫିଟାଇବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ଶ୍ରୀସେତୁ’। ଶ୍ରଦ୍ଧାଳୁଙ୍କ ସହଜ ଯାତାୟାତ ତଥା ଜଟିଳ ଟ୍ରାଫିକ୍‌ ସମସ୍ୟା ଦୂର କରିବ ଏହି ସେତୁ। କାର୍‌, ବସ୍‌ ଓ ବିଭିନ୍ନ ଗାଡ଼ି ମାଧ୍ୟମରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ପ୍ରବେଶ କରିବାକୁ ପଡ଼ିବନି।