ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

Sep 21, 2023 - 05:13
 4
ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

 ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ । ୭ଘଣ୍ଟା ଧରି ବିତର୍କ ଚାଲିବ । ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ବତର୍କ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ । ଆସନ୍ତାକାଲି ଶେଷ ଦିନ ଥିବାରୁ ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରିବ । ବିଜେପିର ୧୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ ।

ସେହିପରି କଂଗ୍ରେସରୁ ୪ ଜଣ ମହିଳା ସାଂସଦ ସାମିଲ ହେବେ । ଶାସକ ଦଳ ତରଫରୁ ସାଂସଦ ଜେପି ନଡ୍ଡା ପ୍ରଥମେ ଅଭିଭାଷଣ ରଖିବେ । ରାଜ୍ୟସଭାରେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଗତକାଲି ଲୋକସଭାରେ ଏହି ବିଲକୁ ନେଇ ବିତର୍କ ଚାଲିଥିବାବେଳେ ସୋନିଆ ଗାନ୍ଧୀ କହିଥିଲେ କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି । ତେଣୁ ହୁଏତ ରାଜ୍ୟସଭାରେ ବିଲ୍ ପାରିତ ହେବା ଏତେଟା କଷ୍ଟ ହୋଇପାରିବ ନାହିଁ ।

ଲୋକସଭାରେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବୈଷୟିକ ବ୍ୟବସ୍ଥା ବାହାନାରେ ବିଲକୁ ଅଟକି ରହିବାକୁ ଦିଆଯିବ ନାହିଁ । ଏହି ବିଲ ଆଇନରେ ପରିଣତ ହେଲେ ମହିଳାମାନେ ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ । ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲକୁ ଲୋକସଭାରେ ଆଗତ କରିଥିଲେ । ଏହି ବିଲର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ।