ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ଗଠିତ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ସ୍ୱଳ୍ପକାଳୀନ ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ସହ ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଇତିହାସ ରଚିଛନ୍ତି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନ୍ୟ ଦିବଂଗତ ନେତା ଓ ସହିଦଙ୍କ ଉଦ୍ଦେଶ୍ୟରେ ଗୃହର ପ୍ରଥମାର୍ଦ୍ଧ କାର୍ଯ୍ୟ ମୁଲତବୀ ରହିଥିଲା । ଅପରାହ୍ନ ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହର ସୁପରିଚାଳନା ନିମନ୍ତେ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏହି କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଜଗନ୍ନାଥ ସାରକା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ସଭ୍ୟ ରହିଛନ୍ତି । ପରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିଥିଲେ । ଅପରାହ୍ନରେ ଗୃହ ମାତ୍ର ୨ ମିନିଟ ଚାଲିବା ପରେ ଗୃହକାର୍ଯ୍ୟକୁ ସୋମବାର ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।