ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

Oct 5, 2023 - 10:40
Oct 5, 2023 - 10:40
 3
ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଳୀ: ଭାରତୀୟ ଧନୀ ଲୋକଙ୍କ କଥା  କହିଲେ ଅମ୍ବାନୀ ଓ ଆଦାନୀଙ୍କ ନାମ ସବୁଠାରୁ ଆଗରେ ଆସେ। ହେଲେ ଦେଶର ମହିଳା ଉଦ୍ୟୋଗପତି ବି ଦିନକୁ ଦିନ ଆଗକୁ ବଢୁଛନ୍ତି ଏବଂ ବରିଷ୍ଠ କୋଟିପତିମାନଙ୍କୁ ଟକ୍କର ଦେଉଛନ୍ତି।

ଆମେ କହୁଛୁ ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲଙ୍କ ବିଷୟରେ। ଯିଏକି ସ୍ବାମୀ ଓପି ଜିନ୍ଦଲଙ୍କ ଗ୍ରୁପ୍‌କୁ ସମ୍ଭାଳୁଛନ୍ତି। ଦେଶର ଧନୀ ତ‌ାଲିକା ମଧ୍ୟରେ ୭୩ ବର୍ଷୀୟା ଏହି ମହିଳା ଉଦ୍ୟୋଗପତିଙ୍କ ନାମ ବି ରହିଛି। ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ ଶିବ ନାଦରଙ୍କ ପରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଫୋର୍ବସ ପତ୍ରିକା ମୁତାବକ, ସାବିତ୍ରୀ ଜିନ୍ଦଲ ୨୩.୯ ଆରବ ଡଲାରର ମାଲିକାଣୀ। ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। କେବଳ ଦେଶ ନୁହେଁ, ଆମ ମହାଦେଶ ଏସିଆର ସେ ସବୁଠାରୁ ଧନୀ।

୭୩ ବର୍ଷୀୟା ସାବିତ୍ରୀଙ୍କ ସ୍ବାମୀ ଓପି ଜିନ୍ଦଲ ୨୦୦୫ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାହାପରେ ସାବିତ୍ରୀଙ୍କ କାନ୍ଧରେ କମ୍ପାନିର ଦାୟିତ୍ବ ପଡ଼ିଥିଲା। ତାଙ୍କ କମ୍ପାନି ଦେଶର ତୃତୀୟ ବୃହତ ଇସ୍ପାତ ଉତ୍ପାଦନକାରୀ ହୋଇଥିବା ବେଳେ ସିମେଣ୍ଟ, ଶକ୍ତି ଏବଂ ଭିତ୍ତିଭୂମି ବ୍ୟବସାୟ ମଧ୍ୟ କରୁଛି।

ତେବେ ସାବିତ୍ରୀଙ୍କ ନିଟ୍ ସମ୍ପତ୍ତିରେ ଗତ କିଛିବର୍ଷ ହେଲା ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। କ‌ରୋନା ମହାମାରୀ ଆରମ୍ଭ ପୂର୍ବରୁ ୨୦୨୦ ଏପ୍ରିଲ ବେଳକୁ ତାଙ୍କ ସମ୍ପତ୍ତି ୩.୨ ବିଲିଅନ ଡଲାରକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୨ ଏପ୍ରିଲରେ ଏହା ୧୫.୬ ବିଲିଅନ ଡଲାରକୁ ବୃଦ୍ଧି ପାଇଥିଲା। ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଧାତୁ ମୂଲ୍ୟ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିଲା।