ଶିମିଳିପାଳରେ ପୁଣି ଗୋଟିଏ ହାତୀ ଶାବକର ମୃତ୍ୟୁ

Oct 12, 2023 - 09:26
 2
ଶିମିଳିପାଳରେ ପୁଣି ଗୋଟିଏ ହାତୀ ଶାବକର ମୃତ୍ୟୁ

ରାଇରଙ୍ଗପୁର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟରେ ପୁଣି ଗୋଟିଏ ହାତୀ ଶାବକର ମୃତ୍ୟୁ ହୋଇଛି । ଉକ୍ତ ହାତୀ ଛୁଆଟିକୁ ଅସୁସ୍ଥ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ରେଞ୍ଜ କାର୍ୟ୍ୟାଳୟ ପରିସରରେ ଛୁଆ ହାତୀର ଚିକିତ୍ସା ଚାଲିଥିବା ବେଳେ ତା'ର ମୃତ୍ୟୁ ହୋଇଯାଇଛି । ଗଳାରେ ସଂକ୍ରମଣ ଯୋଗୁଁ ଏହି ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଭଅଁରା ହୁଡିସାହି ନିକଟରେ ମାଆ ହାତୀ ୧୫-୨୦ ଦିନର ହାତୀ ଶାବକକୁ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲା । ଶାବକ ଉପରେ ସ୍ଥାନୀୟ ଗ୍ରାମବାସୀଙ୍କ ନଜର ପଡିବାରୁ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ଆସି ଅସୁସ୍ଥ ହାତୀ ଶାବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇ ଯାଇଥିଲେ ।
ଜୀବନ ମରଣ ସହିତ ସଂଘର୍ଷ କରୁଥିବା ହାତୀ ଶାବକର ଚିକିତ୍ସା ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ରେଞ୍ଜ କାର୍ୟ୍ୟାଳୟ ପରିସରରେ ଜାରି ରହିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତା'ର ମୃତ୍ୟୁ ହୋଇଯାଇଛି । ବନ ବିଭାଗ ପକ୍ଷରୁ ମୃତ ହାତୀ ଛୁଆର ବ୍ୟବଚ୍ଛେଦ କରାଯିବା ପରେ ରୀତିନୀତି ଅନୁଯାୟୀ ତାକୁ ମାଟିରେ ପୋତା ଯାଇଥିବା ବିଭାଗ ସୂଚନା ଦେଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଗଳାରେ ସଂକ୍ରମଣ କାରଣରୁ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।
ହାତୀ ଶାବକଟି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ମାତ୍ର ୪ ଦିନ ପରେ ତା'ର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଯୋଗୀନେନି ସୂଚନା ଦେଇଛନ୍ତି ।