ଦିନକୁ ୬ ଶିଶୁଙ୍କ ମୃତ୍ୟୁ : ଶିଶୁଭବନ

କଟକ : ୨୦ମାସ ଭିତରେ ଅର୍ଥାତ୍ ୨୦୨୨ ଜାନୁଆରିରୁ ଅଗଷ୍ଟ ୨୦୨୩ ମଧ୍ୟରେ ଶିଶୁଭବନରେ ଚିକିତ୍ସିତ ହେଉଥିବା ୩୪୮୭ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଅର୍ଥାତ ଦିନକୁ ହାରାହାରି ଭାବେ ଶିଶୁ ଭବନରେ ୬ରୁ ଅଧିକ ଶିଶୁ ପ୍ରାଣ ହରାଉଛନ୍ତି। ଜାତୀୟସ୍ତରର ଖ୍ୟାତନାମା ଚିକିତ୍ସାଳୟର ଏହି ତଥ୍ୟକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ବର ସହିତ ଗ୍ରହଣ କରୁଛନ୍ତି। ଏଭଳି ଅଭାବନୀୟ ଚିତ୍ର ପାଇଁ ଦୁର୍ବଳ ଭିତ୍ତିଭୂମିକୁ ଦାୟୀ କରାଯାଇପାରେ। ପ୍ରଥମତଃ ଗୁରୁତର ଶିଶୁ ଏଠାକୁ ଆସୁଛନ୍ତି, ଦ୍ବିତୀୟତଃ ଯେତିକି ଗୁରୁତର ରୋଗୀ ଶିଶୁ ଭବନକୁ ଆସୁଛନ୍ତି, ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ନାହିଁ। ଏଣୁ ଶିଶୁ ମୃତ୍ୟୁ ହାର ଉଦବେଗଜନକ ରହୁଛି।
କେବଳ ଏହି ଗୋଟିଏ ବର୍ଷ ନୁହେଁ, ପରିସଂଖ୍ୟାନ ଆହୁରି କହୁଛି ଯେ ଶିଶୁଭବନରେ ୨୦୨୨ ଜାନୁଆରିରୁ ଡିସେମ୍ବର ମଧ୍ୟରେ ୨୩୬୯ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁଆରିରୁ ଅଗଷ୍ଟ ସୁଦ୍ଧା ୧୧୧୮ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ୨୦୨୩ ଜାନୁଆରିରେ ୧୫୬, ଫେବ୍ରୁଆରିରେ ୧୪୭, ମାର୍ଚ୍ଚରେ ୧୯୪, ଏପ୍ରିଲରେ ୧୬୭, ମେରେ ୧୫୫, ଜୁନ୍ରେ ୧୩୯, ଜୁଲାଇରେ ୧୫୪, ଅଗଷ୍ଟରେ ୧୬୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।