ବର୍ଷକରେ ବେକାରି ହାର ସର୍ବନିମ୍ନ

ନୂଆଦିଲ୍ଲୀ: ମୌସୁମୀ ବର୍ଷା ଦୁର୍ବଳ ରହିବା ସତ୍ତ୍ବେ ଗ୍ରାମାଞ୍ଚଳରେ ସ୍ଥିତି ବେଶ ଉତ୍ସାହଜନକ ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତକୁ ହାସ ପାଇଛି। ଗତ ଅଗଷ୍ଟରେ ଏହି ହାର ୮.୧୦ ପ୍ରତିଶତ ଥିଲା। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ତଥ୍ୟ ଅନୁଯାୟୀ ଗ୍ରାମୀଣ ବେକାରି ହାର ଅଗଷ୍ଟରେ ୭.୧୧ ପ୍ରତିଶତ ଥିଲା। ସେପ୍ଟେମ୍ବରରେ ତାହା ୬.୨୦ ପ୍ରତିଶତକୁ ଖସିଆସିଛି। ସେହିପରି ସହରାଞ୍ଚଳ ବେକାରି ହାର ୧୦.୦୯ ପ୍ରତିଶତରୁ ହ୍ରାସ ପାଇ ୮.୯୪ ପ୍ରତିଶତ ହୋଇଛି।
ଦୀର୍ଘକାଳୀନ ଦୃଷ୍ଟିରୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବରରେ ବୃଷ୍ଟିପାତ ୬ ପ୍ରତିଶତ କମ୍ ରହିଛି। ଗତ ପାଞ୍ଚ ବର୍ଷ ଭିତରେ ଏହାକୁ ସବୁଠୁ ଦୁର୍ବଳ ମୌସୁମୀ ବର୍ଷା କୁହାଯାଉଛି।ତେବେ ବର୍ଷା କମ୍ ହେବା ଚାଷ କାର୍ଯ୍ୟକୁ ପ୍ରଭାବିତ କରିପାରିନାହିଁ। ସେଥିପାଇଁ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଜୀବିକା ମିଳିଯାଇଛି। ସେହିପରି, ପୂଜା ଋତୁ ଆରମ୍ଭ ହୋଇଯାଇଥିବାରୁ ସହରାଞ୍ଚଳରେ ମଧ୍ୟ ବେକାର ଲୋକମାନଙ୍କ ସଂଖ୍ୟା କମ୍ ହୋଇଛି। ଏହି ସମୟରେ ସାଧାରଣତଃ ଡେଲିଭରି ଓ ଚୁକ୍ତିଭିତ୍ତିକ କାର୍ଯ୍ୟରେ ଅଧିକ ଲୋକ ନିୟୋଜିତ ହୋଇଥାନ୍ତି। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଏତେ ବଡ଼ ଦେଶର ଲୋକମାନଙ୍କ ପାଇଁ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ। ଗତ ମାସରେ ସରକାର ୫୧,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟିଥିଲେ।