ନିଦରେ ଚାଲିଚାଲି ୧୬୦ କି.ମି. ଯାତ୍ରା

Aug 25, 2023 - 09:34
 3
ନିଦରେ ଚାଲିଚାଲି ୧୬୦ କି.ମି. ଯାତ୍ରା

ନୂଆଦିଲ୍ଲୀ : କିଛି ଲୋକ ନିଦରେ ଚାଲନ୍ତି। ସାଧାରଣତଃ ଏହା ଘର ଭିତରେ ହିଁ ସୀମିତ ରହେ। କିନ୍ତୁ ଏପରି ଭାବେ ସର୍ବାଧିକ ଦୂରତା ଯାତ୍ରା କରିଥିବା ଜଣେ କିଶୋରର ଆଶ୍ଚର୍ଯ୍ୟଜନକ କାହାଣୀ ଗିନିସ୍ ବିଶ୍ବ ରେକର୍ଡର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ୧୯୮୭ ମସିହା ଏପ୍ରିଲ୍ ୬ ତାରିଖର କଥା। ସେଦିନ ଭୋରରେ ଆମେରିକାର ଇଣ୍ଡିଆନା ଅନ୍ତର୍ଗତ ପେରୁ ରେଳ ଧାରଣା ନିକଟରେ ମାଇକେଲ୍‌ ଡିକ୍‌ସନ୍‌ ନାମକ ୧୧ ବର୍ଷୀୟ ବାଳକ ଖାଲିପାଦରେ ଚାଲୁଥିବାର ଜଣେ ରେଳ କର୍ମଚାରୀ ଦେଖିଲେ। ପୁଲିସ୍‌କୁ ଜଣାଇବା ପରେ ମାଇକେଲ୍‌କୁ ତା’ ଘର କେଉଁଠି ବୋଲି ପଚରାଯାଇଥିଲା। 

ସେ କହିଥିଲା ଯେ ତା’ ଘର ଇଲିଓନୋଏର ଡାନ୍‌ଭିଲ୍‌ରେ। ତା’ ମାଆ ପୂର୍ବ ରାତିରେ ତାକୁ ବିଛଣାରେ ଶୁଆଇଦେଇଥିଲେ। ହେଲେ ସକାଳୁ ତାଙ୍କୁ ଫୋନ୍ ଆସିଲା ଯେ ତାଙ୍କ ପୁଅ ୧୬୦ କି.ମି. ଦୂର ଇଣ୍ଡିଆନାରୁ ମିଳିଛି। ନିଦରେ ଚାଲିଚାଲି ସେ ଏତେ ଦୂର କେମିତି ଗଲା ତାହା ସଭିଙ୍କୁ ଚକିତ କରିଦେଇଥିଲା। ପରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ମାଇକେଲ୍ ନିଦରେ ଚାଲିଚାଲି ଘର ପାଖରେ ଥିବା ଏକ ଷ୍ଟେସନ୍‌କୁ ପଳାଇଥିଲା।

ସେଠାରେ ଏକ ଟ୍ରେନ୍‌ରେ ବସି ଏତେ ଦୂର ପହଞ୍ଚିଯାଇଥିଲା। ଟ୍ରେନ୍‌ରେ ଯାତ୍ରା କରିବା କଥା ତା’ର ଆଦୌ ମନେ ନ ଥିଲା। ନିଦ ଭାଙ୍ଗିବା ପରେ ସେ ଘର ପାଖ ଷ୍ଟେସନ୍‌ରେ ଅଛି ଭାବି ଘରକୁ ଫେରିବାକୁ ଚେଷ୍ଟା କରୁଥିଲା। ଏ ଖବର ସେତେବେଳେ ଆମେରିକା ସାରା ଚର୍ଚ୍ଚିତ ହୋଇଥିଲା। ଘଟଣାର ଦୁଇ ବର୍ଷ ପରେ ଗିନିସ୍‌ ବୁକ୍‌ ରେକର୍ଡରେ ମାଇକେଲ୍‌ ଡିକ୍‌ସନ୍‌ର ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା ସ୍ଥାନ ପାଇଥିଲା। ଏତେ ବର୍ଷ ପରେ ବି ଏହି ରେକର୍ଡ ଆଜି ଯାଏ କେହି ଭାଙ୍ଗି ପାରିନାହାନ୍ତି।