ଅକ୍ଟୋବରରେ ରାଜ୍ୟରେ ବାତ୍ୟା ଆଶଙ୍କା 

Sep 22, 2023 - 03:49
 1
ଅକ୍ଟୋବରରେ ରାଜ୍ୟରେ ବାତ୍ୟା ଆଶଙ୍କା 

ଭୁବନେଶ୍ୱର: ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ବାତ୍ୟା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ । ମୌସୁମୀ ଫେରିବା ସମୟ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏପରିକି ବାତ୍ୟାଟି ଓଡିଶାମୁହାଁ ହୋଇପାରେ ବୋଲି କିଛି ଆକଳନରୁ ସୂଚନା ମିଳୁଛି । ପଶ୍ଚିମା ବାୟୁ ସହ ଜଡିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ । ଏହା ଓଡିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡୁଛି ।
ଏନ୍‌ସେପ୍‌, ଜିଏଫଏସ୍‌, ଏନକାମ୍‌ ଓ ୟୁରୋପିଆନ ଆଦି ମଡେଲର ବିଶ୍ଳେଷଣ ଅନୁଯାୟୀ, ସେପ୍‌ଟେମ୍ବର ମାସ ଶେଷ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପାଖାପାଖି ୨୮ ସେପ୍ଟେମ୍ବର ବେଳକୁ ଏକ ଅବପାତରେ ରୂପ ନେବା ସହ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା ମୁହାଁ ହେବାର ସମ୍ଭାବନା ରହିଛି । ସେହିପରି ଏନ୍‌-ସେପ, ୩ଜିଏଫ୍‌ଏସ୍‌ର ତଥ୍ୟ ଅନୁଯାୟୀ ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ସହ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ‘ବାତ୍ୟା’ର ରୂପ ନେବ । ଏହାସହ ବାତ୍ୟାଟି ଓଡିଶାମୁହାଁ ହେବାର ସମ୍ଭାବନା ରହିଛି । ଆଇଏମ୍‌ଡିର ସୂଚନା ମୁତାବକ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦ୍ୱିତୀୟ ସପ୍ତାହ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତ କିମ୍ବା ‘ବାତ୍ୟା’ରେ ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।