ସରକାରଙ୍କୁ ଘେରିବାକୁ ବିରୋଧି କରୁଛନ୍ତି ରଣନୀତି, ଆମେ ପ୍ରସ୍ତୁତ କହିଲା ବିଜେଡି

ଭୁବନେଶ୍ୱର:ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । ଗୃହରେ ଯଦି ଆଲୋଚନା କରିବାକୁ ସରକାର ପଛଘୁଞ୍ଚା ଦିଅନ୍ତି ତା’ହେଲେ ବିଜେପି ଉଭୟ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ତେବେ ଶାସକ ବିଜେଡି କିନ୍ତୁ ବିରୋଧୀଙ୍କର ସମସ୍ତ ଆକ୍ରମଣର ଦୃଢ଼ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଛି ।
ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକମାନଙ୍କ ବୈଠକ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରି ସେପ୍ଟେମ୍ବର ମାସ ଶେଷରେ ମୌସୁମୀ ଅଧିବେଶନ ଡାକିଛନ୍ତି । ସମସ୍ୟା ଘେରରେ ଥିବା ରାଜ୍ୟ ସରକାର ବିରୋଧୀଙ୍କୁ ସାମ୍ନା କରିବାର ନୈତିକ ସାହସ ହରାଇଛନ୍ତିି ଏବଂ ଚଂଚକତା କରି ବହୁ ବିଳମ୍ବରେ ସ୍ୱଳ୍ପକାଳୀନ ଅଧିବେଶନ ଅନୁଷ୍ଠିତ କରୁଛନ୍ତି । ସରକାରୀ ଟଙ୍କାରେ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଜେଡି ସରକାର ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିସାରିଲେଣି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ । ରାଜ୍ୟ ସରକାର ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତିିା ଦାରିଦ୍ର୍ୟ କ୍ଷେତ୍ରରେ ଓଡିଶା ତୃତୀୟ ନମ୍ବରରେ ରହିଛି । କିନ୍ତୁ ୨୩ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତିି । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳର ସବୁ ବିଧାୟକମାନେ ସାମିଲ ହୋଇଥିଲେ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ ସନ୍ତୋଷସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଗୃହରେ ଉତଥାପନ କରାଯିବ । ଶିକ୍ଷକମାନେ ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଅଙ୍ଗନବାଡି ଓ ସରପଂଚଙ୍କ ଦାବି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଇବ କଂଗ୍ରେସ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି ଓ ଡାକ୍ତରଖାନା ବିପର୍ଯ୍ୟସ୍ତ ହୋଇପଡିଛି । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ଓ ରାଜ୍ୟରେ ଦୈନିକ ୭ଟି ଦୁଷ୍କର୍ମ ହେଉଛି । ରାଜ୍ୟରେ ଖଣି ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ସମେତ ଗଣମାଧ୍ୟମକୁ କଣ୍ଠରୋଧ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କଂଗ୍ରେସ ଗୃହରେ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି । ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲାବେଳେ କଂଗ୍ରେସରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ଅନୁପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢେ଼ାଲକିଆ କହିଛନ୍ତି ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଆଣିବ ସରକାର ତା’ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।