ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‌ସିର ସମୀକ୍ଷା, ଦୈନିକ ରିପୋର୍ଟ ଦେବେ କର୍ମଚାରୀ

Sep 23, 2023 - 03:53
 1
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‌ସିର ସମୀକ୍ଷା, ଦୈନିକ ରିପୋର୍ଟ ଦେବେ କର୍ମଚାରୀ

ଭୁବନେଶ୍ୱର: ଡେଙ୍ଗୁ ନିୟନ୍ତ୍ରଣ ପାଇଁ କଠୋର ହୋଇଛି ବିଏମ୍‌ସି । ଏଣିକି କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର କେତେ ଘରକୁ ଗଲେ, କେଉଁ କେଉଁ ଅଞ୍ଚଳ ବୁଲିଲେ, ସେବୁର ଦୈନିକ ରିପୋର୍ଟ ବିଏମ୍‌ସିରେ ଉପସ୍ଥାପନ କରିବେ । ଦୈନିକ କେଉଁ କେଉଁ ସ୍ଥାନରେ ମଶାଧୂଆଁ ଦିଆଯାଉଛି ଓ ମଶାତେଲ ସିଞ୍ଚନ କରାଯାଉଛି, ଅପରାହ୍ନ ୫ଟା ପରେ କ୍ଷେତ୍ର ପରିଦର୍ଶନ କରି ୱାର୍ଡ ଅଫିସରମାନେ ରିପୋର୍ଟ ଦେବେ । ବୁଦା କାଟିବା, ବର୍ଜ୍ୟ ଉଠାଇବା ଠିକ୍‌ ଭାବେ ହେଉଛି କି ନାହିଁ ତାହାର ରିପୋର୍ଟ ଦେବେ । ଏ ସବୁର ଜେଡ୍‌ଡିସି ନିଜ ନିଜ ଜୋନ୍‌ର ସମୀକ୍ଷା କରିବା ସହ କମିସନରଙ୍କୁ ରିପୋର୍ଟ କରିବେ । ଆଜି ବିଏମ୍‌ସିରେ ବସିଥିବା ଏକ ସମୀକ୍ଷା ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
କମିନଶନର ଏହି ଅବସରରେ ବିଦ୍ୟାଳୟରେ ଡେଙ୍ଗୁ ସଚେତନତା ଓ ରବିବାର ଡ୍ରାଏ ଡେ’ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ପୋରେଟରଙ୍କ ନେତୃତ୍ୱରେ ସମ୍ପୃକ୍ତ ୱାର୍ଡରେ ସଚେତନତା ପଦଯାତ୍ରା କରିବାକୁ କୁହାଯାଇଥିଲା । ଦରକାର ପଡିଲେ ଅକ୍ଟୋବର ମାସରେ ମଧ୍ୟ ଡେଙ୍ଗୁ ସଚେନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି । ସେହିଭଳି ସହରରେ ଥିବା ଗଛ ଓ ଖୁଣ୍ଟ ତଳେ କୌଣସି ପ୍ରକାରର ଅଳିଆ ବା ବୁଦା ରହିବ ନାହିଁ । ପୂର୍ବରୁ ଓ ସଫା ପରର ଫଟୋ ଆଣି ନିଶ୍ଚିତ କରିବାକୁ କୁହାଯାଇଛି । ଏଭଳି ହେଲେ ସହର ସ୍ୱଚ୍ଛ ହୋଇ ପାରିବ ବୋଲି ଶ୍ରୀ କୁଲାଙ୍ଗେ ଆଶା ପ୍ରକାଶ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଏଡିୟୁ ପିଏଚ୍‌ଓ ଡା. ସୁମନ ସୁନ୍ଦରାୟ, ମୁଖ୍ୟ ପୌର ସ୍ୱାସ୍ଥ୍ୟାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, ସିଟି ହେଲ୍‌ ଅଫିସର ଡା. ଦୀପକ ବିଶୋଇଙ୍କ ସମେତ ବିଭିନ୍ନ ମେଡିକାଲର ଡାକ୍ତର, ଜେଡ୍‌ଡିସି, ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର ଉପସ୍ଥିତ ଥିଲେ ।