ମହାଦେବ ଆପ୍ ଠକେଇରେ ଛନ୍ଦି ହୋଇଛନ୍ତି ମାଳମାଳ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ମହାଦେବ ଆପ୍ । ଏବେ ଚାରିଆଡେ ଚାଲିଛି ଏହି ଆପ୍ର ଚର୍ଚ୍ଚା । ଏହି ଆପ୍ରେ ହେଉଥିଲା ଖେଳ, ଖେଳୁ ଥିଲେ ଶହଶହ ଲୋକ ବାଜିରେ ଲାଗିଥିଲା ଲକ୍ଷଲକ୍ଷ ଟଙ୍କା । ଯେଉଁଥିରେ ପ୍ରତିଯୋଗିତା ତ ଥିଲା, କିନ୍ତୁ ପୂର୍ବରୁ ସ୍ଥିର ହୋଇ ଥିଲା ହାରିବ କିଏ ହାରିବ ତାହା ପୂର୍ବରୁ ଧାର୍ଯ୍ୟ କରାଯାଉଥିଲା । ହେଲେ ଏ ବିଷୟରେ ହାରୁଥିବା ବ୍ୟକ୍ତି ଜାଣି ପାରୁନଥିଲେ । ଏହା ଥିଲା ମହାଦେବ ଆପ୍ର ପ୍ରକୃତ କାମ । ମହାଦେବ ଆପ୍କୁ ନେଇ ଏବେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ତ୍ତମାନ ଏଥିରେ ବଲିଉଡର କଳାକାର ଯୋଡି ହୋଇଛନ୍ତି । ରଣବୀର କପୁର, କପିଲ ଶର୍ମାଙ୍କ ସମେତ ପ୍ରାୟ ୧୫-୧୬ଜଣ ସେଲିବ୍ରିଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରାଡାରରେ ଅଛନ୍ତି । ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଥିବା ବେଳେ କିଭଳି କିଛି ବର୍ଷ ମଧ୍ୟରେ ଜଣେ ଜୁସ୍ ଦୋକାନର ମାଲିକ ୨୦ହଜାର କୋଟିର ମାଲିକ ହୋଇଗଲେ ତାହା ସାମ୍ନାକୁ ଆସିଛି । ‘ମହାଦେବ ଆପ୍’ ମାଧ୍ୟମରେ ସାରା ବିଶ୍ୱରେ ଲୋକଙ୍କୁ ଠକିବା ପଛରେ କେବଳ ଦୁଇଜଣ ମାଷ୍ଟରମାଇଣ୍ଡ ରହିଛନ୍ତି । ସେମାନେ ହେଲେ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ । ଦୁହେଁ ଏକାଠି ଏହି ଆପ୍ ଆରମ୍ଭ କରିଥିଲେ । କୁହାଯାଉଛି ଯେ, ମହାଦେବ ଆପ ମାଧ୍ୟମରେ ଲୋକଙ୍କଠାରୁ ଦୁହେଁ ପ୍ରାୟ ୫୦୦୦କୋଟି ଟଙ୍କା ଠକି ନେଇଛନ୍ତି । ତେବେ ଲୋକଙ୍କୁ ଠକିବାର ଯାତ୍ରା ଆରମ୍ଭ ହୋଇଥିଲା ଛତିଶଗଡରୁ । ସୌରଭ ରାୟପୁରରେ ଜୁସ୍ ଫ୍ୟାକ୍ଟ୍ରି ନାମକ ଏକ ଜୁସ୍ ଦୋକାନ ଚଳାଉଥିଲେ । ଅଧିକ ଟଙ୍କା ଆୟ କରିବାର ଇଚ୍ଛା ଥିବାରୁ ସେ ଛତିଶଗଡର ବିଭିନ୍ନ ସହରରେ ଜୁସ୍ ଫ୍ୟାକ୍ଟ୍ରିର ଶାଖା ଖୋଲିଥିଲେ । ଜୁସ୍ ବ୍ୟବସାୟ ସହ ସେ ଜୁଆ ଖେଳିବାକୁ ପସନ୍ଦ କରୁଥିଲେ । ହେଲେ କରୋନା ଆରମ୍ଭ ହେବା ପରେ ସେ ଅନଲାଇନରେ ଜୁଆ ଖେଳିବା ଆରମ୍ଭ କରିଥିଲେ । ବାସ୍ ଏହି ସମୟରେ ତାଙ୍କ ମୁଣ୍ଡକୁ ମହାଦେବ ଆପ ଖୋଲିବା ନେଇ ଆଇଡିଆ ଆସିଥିଲା । ତାପରେ ଏହି ଠକେଇ ସାମ୍ରାଜ୍ୟର ସେ ମହାରାଜା ପାଲଟି ଗଲେ ।