ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣ
ନବୀନ ଓଡିଶା ବ୍ଯୂର: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଆଜି ଏଥିରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ନିଜର ପର୍ଯ୍ୟଟନ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆନ୍ତର୍ଜାତୀୟ ମାନକ ସମକକ୍ଷ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା କେବଳ ଭ୍ରମଣ ଓ ଆତିଥେୟତା ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବନାହିଁ ବରଂ ଭ୍ରମଣ ଭିତ୍ତିକ ସ୍ୱତନ୍ତ୍ର ଅଭିଜ୍ଞତା ପର୍ଯ୍ୟଟକ ମାନଙ୍କୁ ପ୍ରଦାନ କରିବ ।”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନ କ୍ଷେତ୍ରର ହିତାଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ରାଜ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଟୁର ପେରେଟର ମାନଙ୍କ ସକ୍ରିୟ ଯୋଗଦାନକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ପ୍ରଚାର ପ୍ରସାର ପାଇଁ ଓଡିଶା ଟୁରିଜିମର ପଦକ୍ଷେପଗୁଡିକ ଉପରେ ଏକ ଉପସ୍ଥାପନା କରିଥିଲେ । ସେ କହିଛନ୍ତି, “ରାଜ୍ୟକୁ ନୂତନ ପିଢିର ଭ୍ରମଣକାରୀମାନଙ୍କୁ ଆକର୍ଷିତ କରିବା ପାଇଁ ଓଡିଶା ଇକୋ ରିଟ୍ରିଟ୍, ବୋଟ୍ କ୍ଲବ୍, ୟାଚ୍, କାରାଭାନ, କ୍ୟାମ୍ପିଙ୍ଗ ଭଳି ନୂତନ ଓ ଅଭିନବ ଉତ୍ପାଦଗୁଡିକ ଉପରେ ଧ୍ୟାନ ଦେଉଛି । ଇକୋ ଟୁର୍ ନେଚର କ୍ୟାମ୍ପଗୁଡିକୁ ବନ ବିଭାଗ ଦ୍ୱାରା ସ୍ଥାନୀୟ ସମୁଦାୟଗୁଡିକର ଅଂଶଗ୍ରହଣ ମାଧ୍ୟମରେ ପରିଚାଳନା କରାଯାଉଛି ଯାହା ସ୍ଥାୟୀ ଓ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଉପରେ ରାଜ୍ୟର ଏକ ବ୍ୟବସ୍ଥା ଅଟେ ।”
ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି ସମଗ୍ର ବିଶ୍ୱରେ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏହା ଏକ ପ୍ଲାଟଫର୍ମ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟର ଟୁରିଜିମ ପ୍ରଡକ୍ଟଗୁଡିକର ଅନୁଭୂତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଓଡିଶା ଟ୍ରାଭେଲ ବାଜାର୍ର ମହତ୍ୱ ସମ୍ପର୍କରେ କହିଥିଲେ । ଏହାଦ୍ୱାରା ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ପ୍ରଚାର ପ୍ରସାର ହୋଇପାରିବ ।
ସ୍ୱସ୍ତି ଗ୍ରୁପ ସିଏମଡି ଡଃ ଜେକେ ମହାନ୍ତି ଟୁର୍ ଅପରେଟର ଓ ଟ୍ରାଭେଲ ଏଜେଂଟ୍ ସମୁଦାୟର ମହତ୍ୱ ଏବଂ କିଭଳି ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଯୋଗଦାନ ଅନେକ ବ୍ୟବସାୟ ସୁଯୋଗକୁ ସକ୍ଷମ କରିବ ଏବଂ ଭ୍ରମଣ ସମୁଦାୟ ପାଇଁ ଉତ୍ସାହଜନକ ଜନକ ହେବ ସେ ସମ୍ପର୍କରେ କହିଥିଲେ ।
