୭୪ ଜଣଙ୍କୁ ପଦକ ପ୍ରଦାନକଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ ଏହି ପଦକ ପ୍ରଦାନ କରିଛନ୍ତି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବାରେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୫ ଜଣଙ୍କୁ ‘ରାଜ୍ୟପାଳ ପୋଲିସ ପଦକ’ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୨୦ ସ୍ବାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି।
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୨ଜଣ ଅଗ୍ନିଶମ ଅଧିକାରୀଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଥିବାବେଳେ ୪ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ସେହିପରି ଗୃହରକ୍ଷୀ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ଜଣଙ୍କୁ ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯାଇଥିବାବେଳେ ୨ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ୬ ଜଣଙ୍କୁ ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି।
ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବା ନିମନ୍ତେ ୨୦୨୦ ସ୍ବାଧୀନତା ଦିବସ ପାଇଁ ୪ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ସେହିଭଳି ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତି ସେବା ପଦକ ସହ ରାଜ୍ୟ ସରକାରୀଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ଆଉ ୩ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।
ସ୍ବାଧୀନତା ଦିବସ ଅବସରରେ ୨ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତି ସେବା ପଦକ ସହ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ ସହ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।