ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଇସ୍ରୋର ଉଦ୍ୟମ

Sep 21, 2023 - 05:09
 4
ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଇସ୍ରୋର ଉଦ୍ୟମ

ନୂଆଦିଲ୍ଲୀ : ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ପାହିଛି। ରାତି ପାହିବା ପରେ ଇସ୍ରୋ ପ୍ରେରିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଓ ରୋଭର (ପ୍ରଜ୍ଞାନ) ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରାଂଶଗୁଡିକ ପୁନଃ କାର୍ୟ୍ୟକ୍ଷମ କରିବା ପୂର୍ବକ ନିଦ୍ରାରୁ ଉଠାଇବା ଲାଗି ଗୁରୁବାର କିମ୍ବା ଶୁକ୍ରବାର ଇସ୍ରୋ ପକ୍ଷରୁ ଉଦ୍ୟମ କରାଯିବ। ଇସ୍ରୋର ଅଧିକାରୀ କହିଛନ୍ତି ଯେ ଗ୍ରାଉଣ୍ଡ ଷ୍ଟେସନ ଏହି ଦୁଇ ଯନ୍ତ୍ରାଂଶକୁ ଅତ୍ୟନ୍ତ ଥଣ୍ଡା ପରିବେଶରୁ ପୁନଃ କାର୍ୟ୍ୟକ୍ଷମ ଲାଗି ଉଦ୍ୟମ କରିବ।

ତେବେ ଏହି ଦୁଇ ଯନ୍ତ୍ରାଂଶ ପୁନଃ ସକ୍ରିୟ ହେବାର ଆଶା ବହୁତ କମ୍ ରହିଛି। କାରଣ ଯନ୍ତ୍ରାଂଶ ଦ୍ବୟକୁ ପୁନଃ କାର୍ୟ୍ୟକ୍ଷମ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ସେଥିରେ କରାଯାଇ ନାହିଁ। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ୟ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ। ସେପ୍ଟେମ୍ବର ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ୟ୍ୟାସ୍ତ ସହିତ ଏହି ଦୁଇ ଯନ୍ତ୍ରାଂଶ ନିଷ୍କ୍ରିୟ ହୋଇଯିବା ପୂର୍ବକ ଶୋଇଯାଇଥିଲେ। ନିଦ୍ରାଯିବା ପୂର୍ବରୁ ବିକ୍ରମ ଓ ପ୍ରଜ୍ଞାନ ୧୩ଦିନ ଧରି ଚନ୍ଦ୍ରପୃଷ୍ଠରେ କାର୍ୟ୍ୟ କରିିବା ପୂର୍ବକ ବିଭିନ୍ନ ତଥ୍ୟ ପଠାଇଥିଲେ। ଅଗଷ୍ଟ ୨୩ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଉତ୍‌କ୍ଷେପଣ କରାଯାଇଥିଲା।