ଆଜିଠୁ ପୁରୀ - ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ

Sep 24, 2023 - 06:08
 3
ଆଜିଠୁ ପୁରୀ - ରାଉଲକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ଆଜିଠାରୁ ଗଡିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ । ଏହା ହେବ ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଦିନ ୧୨ଟା ୪୫ ମିନିଟରେ ଭର୍‌ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହେବ । 
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଦ୍ୱାରା ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ । ପୁରୀରୁ ରାଉରକେଲା ୫୦୫ କିଲୋମିଟର ହୋଇଥିବା ବେଳେ ଏହାକୁ ବନ୍ଦେ ଭାରତ ଏକ୍ସପ୍ରେସ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ । ଫଳରେ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ । ଶନିବାରକୁ ଛାଡିଦେଲେ ଏହି ଟ୍ରେନ୍‌ ସପ୍ତାହରେ ବାକି ୬ ଦିନ ଚାଲିବ । ଏହା ସବୁଦିନ ପୁରୀରୁ ସକାଳ ୫ଟାରେ ଛାଡି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ । ପରେ ରାଉରକେଲାରୁ ୨ଟା ୧୦ରୁ ଛାଡି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । ଏହି ସେମି ହାଇସ୍ପିଡ୍‌ ଅତ୍ୟାଧୁନିକ ଟ୍ରେନ୍‌ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍‌ ରନ୍‌ ଶେଷ କରାଯାଇଛି ।