ପରଲୋକରେ ପୂର୍ବତନ ମନ୍ତ୍ରୀ ସମୀର ଦେ

Nov 18, 2024 - 21:58
 2
ପରଲୋକରେ ପୂର୍ବତନ ମନ୍ତ୍ରୀ ସମୀର ଦେ

କଟକ : ପରଲୋକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ। ଚିକିତ୍ସାଧୀନ ଅବସ୍ଥାରେ କଟକର ସିଡିଏ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଚଳିତ ମାସ ୧ ତାରିଖରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠୁ ତାଙ୍କର ଚିକିତ୍ସା ଜାରି ରହିିଥିଲା।

ଶ୍ରୀ ଦେ’ଙ୍କର ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିବା ଚିକତ୍ସା କରାଯାଉଥିଲା। ପୂର୍ବରୁ ତାଙ୍କର କିଡନି ପ୍ରତିରୋପଣ ହୋଇଥିବାରୁ ସମସ୍ୟା ଜଟିଳ ରହିଥିଲା। ଶ୍ରୀ ଦେ’ଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ବିଭିନ୍ନ ବି‌ଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ହେଲେ ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ପରେ ମଧ୍ୟ ସମୀର ଦେଙ୍କ ଦେହାନ୍ତ ହୋଇଯାଇଛି।

ରାଜ୍ଯ ବିଜେପିର ଜଣେ ଟାଣୁଆ ନେତା ସମୀର ଦେ । କଟକ ବାରବାଟି ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରିନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କଠାରୁ ପରାଜିତ ହୋଇଥିବାବେଳେ ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସମୀର ଦେ ୧୯୫୭ ମସିହାର ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ ।