ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ କଲେ ପରିବାର ଅଦାଲତ

କଟକ : ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ବିଚାର କରି କଟକ ପରିବାର ଅଦାଲତ କୋର୍ଟ ଅନୁଭବ ମହାନ୍ତିଙ୍କ ବିବାହ ବିଛେଦକୁ ଅଗ୍ରାହ୍ୟ କରିବା ସହ ଏକତ୍ର ରହିବା ନେଇ ବର୍ଷା କରିଥିବା ଆବେଦନ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି । ଏହି ସିନେ ଦମ୍ପତ୍ତିଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ । ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ । ଅନ୍ୟପଟେ ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା, ଯାହା ହେଉ ଆଜି ମାମଲାଟି ଅନ୍ତ ହୋଇଛି ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି ।
ଲଳିତେନ୍ଦୁ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଲାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି । ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି । ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି । ସେହିପରି ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି । ତେଣୁ କେହି କାହା ପାଖରେ ରହିପାରିବେ ନାହିଁ । ତେବେ ଏ ସଂକ୍ରାନ୍ତରେ ବର୍ଷା ପ୍ରିୟଦର୍ଶିନୀ କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ନିଜ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତି ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ଶେଷରେ ନ୍ୟାୟ ହିଁ ଜିତିବ ବୋଲି ମତ ପ୍ରକାଶ କରିଛନ୍ତି ।